ପାପକ୍ଷୟ ଘାଟ

ଗଙ୍ଗାଧର ମେହେର (1862–1924)

ଅର୍ଘ୍ୟଥାଳୀ

ଏହି ସେହି ସୁପବିତ୍ର ପାପକ୍ଷୟ ଘାଟ,ଗଜପତିଙ୍କର ଯହିଁ ହେଲା ପାପକ୍ଷୟ,ନିଷ୍କଣ୍ଟକ ହୋଇଗଲା ସ୍ୱରଗର ବାଟ,ମହାବ୍ୟାଧି ମୁଞ୍ଚି ରାଜା ହେଲେ ନିରାମୟ ।

ବହୁଛି ନିର୍ମଳ ଜଳ ତଟର ନିକଟ,ଦେଖିଲାମାତ୍ରକେ ଲୋକନେତ୍ର ପାପ ହରେ,ନିମଜ୍ଜିତ ହେଲେ ସୁଖ ଶାନ୍ତି ଲଭେ ଘଟପବିତ୍ର ପ୍ରସାଦରାଶି ଜୀବନରେ ଭରେ ।

କରିଛନ୍ତି ଚୂନଲିପ୍ତ ପାଷାଣ-ସୋପାନଗିରିଧାରୀ ଗିରିଧାରୀ-ପଦାବ୍‌ଜ-ଭ୍ରମର,ବିସର୍ଜିଲେ ବଦରିକା ଆଶ୍ରମରେ ପ୍ରାଣ,ନାମ ତାଙ୍କ ଏହିଠାରେ ହୋଇଛି ଅମର

ସୁଶୀତଳ ତଟ-ବଟ-ଛାୟା ମନୋରମ,ମନ୍ଦ ଗନ୍ଧବହ ସହ ଦୂର କରେ ଶ୍ରମ ।

•••