ଏକ ଗୋପୀ ବୋଇଲା ଶୁଣ ସଖୀ

ଦନାଇ ଦାସ

ଗୋପୀଭାଷା

ସାନ ବେଳହୁଁ ମାୟା ଅଗୋଚର ।ତାର ପାପ ପୁଣ୍ୟକୁ ନାହିଁ ଡ଼ର ।ଜୀଉଁ ଜୀଉଁ ଯେ ଆମ୍ଭଙ୍କୁ ଲେଛିଲା ।ଆମ୍ଭେ ମଲେ ହିଁ ତାର କିସ ଗଲା ।ଏକ ଗୋପୀଏ ବୋଲେ ଆଗସରି ।ବୁଦ୍ଧି ହରାଇ ମରୁଅଛି ଝୁରି ।ଆମ୍ଭେ ପୂର୍ବେ କରିଅଛୁଁ ପାତକ ।ଗୋରୁ ବ୍ରାହ୍ମଣ ମାରିଛୁ ଅନେକ ।କାର ଭର୍ତ୍ତା ଛଡ଼ାଇ ଦୂର କଲୁଁ ।ଭୋଗୀ ଭୂଞ୍ଜିଲା ଅନ୍ନ ଫିଙ୍ଗି ଦେଲୁଁ ।ଆମ୍ଭେ ବଡ଼ ଅଭାଗୀ ଗୋପନାରୀ ।ତେଣୁ ଉପେକ୍ଷି ଗଲେ ନରହରି ।ସଖି ଅଛିଟିକି ତୁମ୍ଭ ମନର ।ଦିନେ ଯାହା କଲେ କୁଞ୍ଜବନର ।ନିଶାକାଳେ ମୁରଲୀ ବଜାଇଲେ ।ସବୁ ଗୋପୀଙ୍କି ବାଇ କରାଇଲେ ।ଯେତେ ରଙ୍ଗ କଲେ କୁଞ୍ଜବନର ।ବୃନ୍ଦାବତୀ ଘେନି ହେଲେ ଅନ୍ତର ।ପାଦପଦ୍ମ ଚିହ୍ନି ଭେଟ ପାଇଲୁଁ ।ତାଙ୍କ ଅଧରୁ ଅମୃତ ଖାଇଲୁଁ ।ଛାଡ଼ ନ ଯାଇ ମନରୁ ସେ କଥା ।କୁନ୍ତ ମାଇଲେ ଯେହ୍ନେ ଥାଇ ବ୍ୟଥା ।ଏକ ଗୋପୀଏ ବୋଇଲା ନ ଭାଳ ।ଆମ୍ଭ ହୃଦୟ ଦୁଃଖ ଅସମ୍ଭାଳ ।ମନେ ବିଚାରି ଗୋପୀଏ ବୋଇଲା ।ସେ ଗୋ ନ ପୋଷି ଆମ୍ଭଙ୍କୁ ନାଶିଲା ।ଯାହା ସଙ୍ଗେ କରେ ଯେଉଁ ପୀରତି ।ନିଶ୍ଚେ କାଳ ହୁଅଇ ସେହିମତି ।ସେଗୋ ମରିଥିଲେ ଭଲ ହୁଅନ୍ତା ।ଏତେ ଦୁଃଖ କିପାଁ ଦେହ ସହନ୍ତା ।ଗଛ ଭାଜିଲା ମାଡ଼ି ନ ପଡ଼ିଲା ।ପୋଡ଼ୁ ଶଗଡ଼ହିଁ ମାଡ଼ି ନ ଗଲା ।ଭୂତ ଉଡ଼ାଇ ନେଇ ନ ଗିଳିଲା ।ଅଜଗର ପେଟରୁ ନିକିଳିଲା ।

କାଳୀ ଦଂଶିଲା ଯାଇଥାନ୍ତା ସରି ।ଆମ୍ଭେ ମରନ୍ତୁ କିପାଁ ଏତେ ଝୁରି ।ଏକ ଗୋପୀଏ ବୋଇଲା ତୁରିତ ।ତାକୁ କିପାଁ ଗାଳି ଦିଅ ସଙ୍ଗାତ ।କେତେଠାରୁ ରଖି ନାହିଁ ଆମ୍ଭନ୍ତା ।ତାର ଅରିଷ୍ଟ ପଡ଼ୁ ଆମ୍ଭମାଥ ।ନୋହି ପାଶୋରିବା ଗୁଣ ଯେତେକ ।ଗୋପପୁରେ କରିଅଛି ତେତେକ ।ସର୍ପ ଗିଳିଲା ପୁଅଙ୍କୁ ରଖିଲା ।କେତେ କେତେ ସଙ୍କଟୁ ନ ତାରିଲା ।ଇନ୍ଦ୍ର ବିବାଦୁଁ ରଖିଲା ଯେମନ୍ତ ।କାହାବେଳେ କରି ନୋହେ ତେମେନ୍ତ ।ବନ ପୋଡ଼ିଲେ ସମସ୍ତେ ମରନ୍ତୁ ।ନିଆଁ ଗିଳି ରଖିଲେ ସର୍ବ ଜନ୍ତୁ ।ନନ୍ଦ ଯମୁନା ଜଳେ ବୁଡ଼ିମଲା ।ମଲା ଜିଆଇ ପୁଣି ଆଣି ଦେଲା ।ଆଉ କରିଛି ଯେତେ ଉପକାର ।ଗୋପପୁରଯାକ ତାର କୋୟର ।ତାଙ୍କୁ କେମନ୍ତ କରି ମୁରୁଛିବା ।ପୋଡ଼ୁ ପୋଡ଼ୁ ଏ ଜୀବନ ଲେଛିବା ।ଅଗ୍ନି କୁଢ଼ାଇ ଭିତରେ ପଶିବା ।ଡେଇଁ ଯମୁନାଜଳରେ ଝାସିବା ।ତାର ଉପରେ ପଛେ କଥା ଥାଉ ।ପରମାନନ୍ଦ ଲାଗି ଦେହ ଯାଉ ।ଫେଡ଼ି କହିଲେ ସଖିଲୋ ଉତ୍ତର ।ଫାନ୍ଦେ ପଡ଼ିଛି ସଖି ପାରି କର ।ଏକ ଗୋପୀଏ ବୋଲେ ବୁଦ୍ଧି ଏକ ।ଲିହି କୃଷ୍ଣଙ୍କୁ ଚାଳିଦେବା ଲେଖ ।ଆମ୍ଭେ ସେତେ ଯେବେ ତାଙ୍କ ସେବକ ।ଆସି ଭେଟ ହୋଇଯିବେ ବାରେକ ।ଆମ୍ଭେ ଆଶା କରିଅଛୁଁ ଅନେକ ।ଯେହ୍ନେ ଗଗନ-ନୀରକୁ ଚାତକ ।ତୁମ୍ଭ ଅଧରୁ ଅମୃତ ପିଆଅ ।ମରୁଅଛୁଁ ସର୍ବଗୋପୀ ଜୀଆଅ ।

ତୁମ୍ଭ ଲାବଣ୍ୟ କନ୍ଦର୍ପ ମୂରତି ।ବାରେ ଦେଖିଲେ ହେବ ମୋକ୍ଷଗତି ।ତୁମ୍ଭେ ଦୀନଜନ ଆଶା ବିଶ୍ରାମ ।ଜୀବ ରଖିଛୁଁ ଧରି ତୁମ୍ଭ ନାମ ।ତୁମ୍ଭେ ବାରେ ନଇଲେ ନନ୍ଦବତ୍ସ ।ନିଶ୍ଚେ ମଳୁଁଟି ଆମ୍ଭଙ୍କୁ ମୁରୁଛ ।ନାମ ବୋଲାଉ ଅଛି ଗୋପୀନାଥ ।ଯେହୁ ବୋଲିବ ସାରିବୁଁ ମହତ ।ଏବେ ମଥୁରାନାଥ ବୋଲାଇବ ।ଆମ୍ଭ ନାମ ଧରି ଭଲ ନୋହିବ ।ଏକ ଗୋପୀଏ ବୋଲେ ନୋହେ କିଛି ।ମୋତେ ଭଲ ବୁଦ୍ଧି ଏହି ଦିଶୁଛି ।ଗୋପପୁରଯାକ ରୁଣ୍ଡ ହୋଇବା ।କରେ କାଉଁରି ଲୁଉଡି ଧରିବା ।ମଧୁପୁରକୁ ବୋଲି ଯିବା ଧାଇଁ ।ଝାସି ପଣିବା କଟକେ ଝସାଇଁ ।ତାଙ୍କ ସନ୍ନିଧେ ହୋଇବା ପ୍ରବେଶ ।ତାଙ୍କୁ ବୋଲିବା କୃଷ୍ଣ ଗୋପେ ଆସ ।ଯେବେ ନ ଛାଡିବେ ମଧୁଯୁବତୀ ।ଗୋଳ କରି ଆଣିବା ଶିରୀପତି ।ସଭା କଲେ ଲୋକେ ନ ବୋଲବେ କି ।ଗୋପୀନାଥଙ୍କୁ ଗୋପୀ ନ ନେବେ କି ।ଏକ ଗୋପୀଏ ବୋଲେ ନୋହେ କିଛି ।ମୋତେ ଏହି ଭଲ ବୁଦ୍ଧି ଦିଶୁଛି ।ଜଗନ୍ନାଥ ଏମନ୍ତ କରିବେଣି ।ତାହା ଦେଖିବା ବେନି ଚକ୍ଷୁ ଘେନି ।ଭାଜି ଯିବଣି ମଥୁରା ନଗର ।କୃଷ୍ଣ ପୁଣି ଆସିବେ ଗୋପପୁର ।ଆମ୍ଭେ ରୁଷିଣ କଥା ନ କହିବା ।ତାଙ୍କ ଚାଟୁ କହିଲେ ନ ଶୁଣିବା ।ଗୋପୀ ଏମନ୍ତ ବୋଲିଣ ମଉନ ।ତହିଁ ଶୁଭିଲା କୋକିଳର ସ୍ୱ‌ନ ।ଚାହିଁ ବୋଲନ୍ତି ବରଜ ସୁନ୍ଦରୀ ।ପିକ ନୋହୁ ଆମ୍ଭେ ତୋର ବଇରି ।

ଆମ୍ଭେ ନିର୍ମାଖା ଅଟୁ ଗୋପନାରୀ ।ଆମ୍ଭେ ମଲେ ଅର୍ଜିବୁ କେଉଁ ଶିରୀ ।ଏବେ ଚଳିଯା ମଥୁରା ନଗର ।କୃଷ୍ଣ ଆଗେ କର ସୁଧୁନିସ୍ୱର ।ତାକୁ କନ୍ଦର୍ପ-ବାଧା ଲଗାଇବୁ ।ଆମ୍ଭଠାରେ ତା ସ୍ନେହ ବଢ଼ାଇବୁ ।ଆଣି ପାରିଲେ ତୋତେ ସେବିଥିବୁଁ ।ଖାଇବାକୁ ଖଣ୍ଡରେ ଖୀର ଦେବୁଁ ।ଶୁଣି ମଉନ ହୋଇଲା କୋକିଳ ।ଚନ୍ଦ୍ରଉଦୟ ଦେଖିଣ ବିକଳ ।ତାକୁ ଗୋପୀଏ କରନ୍ତି ଦୟିନି ।ତୋତେ ଦେଖିଲେ ହୃଦ ହୁଏ ହାଣି ।ପୂର୍ବ ଗଲା କଥା ମନେ ପଡ଼ଇ ।ଆମ୍ଭ ହାଡ଼ରୁ ମାଉଁସ ଝଢ଼ଇ ।ଆଉ ଏଡ଼େ ହୋଇ ଉଦେ ନୋହିବୁ ।ଆମ୍ଭେ ମଲେ ତୁ କି ସୁଖ ପାଇବୁ ।ମନେ ବିଚାରି ଗୋପୀଏ ବୋଇଲା ।କୃଷ୍ଣ ଗଲେ ଏଥୁଁ ଭଲ ହୋଇଲା ।ଏଥି ଥିଲେ ହୁଅନ୍ତା ମହାଖୁଡ଼ ।ତହିଁ ହୋଇଛି ସବୁରି ଠାକୁର ।ସ୍ଥାନବିଶେଷେ ଦିବ୍ୟ ପୂଜା ପାଇ ।ଯେଉଁ ସ୍ଥାନେ ଯେଉଁ ଦ୍ରବ୍ୟ ବିକାଇ ।ଥିଲା ଶବରଣୀ ହାତେ ମାଣିକ ।ତାହା ଚିହ୍ନି ଘେନିଗଲା ଗୁଣିକ ।ଯେହ୍ନେ ଶାମୁକୁଁ ବାହାରେ ମୁକୁତା ।କାଳେ ଭୋଗ କରେ ତାହା ଦେବତା ।ଗୁଣ ଘୋଷୁ ଘୋଷୁ ଜ୍ଞାନ ହୋଇଲା ।ଏକ ଗୋପୀଏ ଥାଇଣ ବୋଇଲା ।ଯାହା ମହିମା ଦେବଙ୍କୁ ଦିର୍ଲ୍ଲଭ ।କାହିଁ ପ୍ରାପତ ଆମ୍ଭଙ୍କୁ ସୁଲଭ ।ଭାରା ଉଶ୍ବାସିବା ପାଇଁ ଜନମ ।ଆନ ବେଳେ କରି ନୋହେ ସେମାନ ।ଭାଗ୍ୟ ଯେତେ ଦିନ ଥିଲା ଆମ୍ଭର ।କୃଷ୍ଣ ଘେନି ଖେଳୁଥିଲୁଁ ସଙ୍ଗର ।

ଜଗଦାତ୍ମାରେ ଜଗତ ପୂରିତ ।କୃଷ୍ଣ ଜାଣିଲେ ଗୋପୀଙ୍କ ଆରତ ।ବେଗେ ରାଇଲେ ଉଦ୍ଧବଙ୍କୁ ପାଶ ।ତୁମ୍ଭେ ଗୋପପୁରକୁ ଯାଇ ଆସ ।ତୁ ଯେ ଭକତ ଆମ୍ଭର ବାନ୍ଧବ ।ତେଣୁ ବରଗୁ ଅଛୁଁ ଭକ୍ତଠାବ ।ମୋତେ ନ ଦେଖିଣ ଗୋପୀ ଗୋପାଳ ।ନିରନ୍ତରେ ହୋଉଛନ୍ତି ବିକଳ ।ମୋତେ ନ ଲୋଡ଼ନ୍ତି ଗୋପୀ ଯେମନ୍ତେ ।ତାଙ୍କୁ ବୁଝାଇ କହିବ ତେମନ୍ତ ।ଆଜ୍ଞା ପ୍ରମାଣେ ଉଦ୍ଧବ ଚଳଇ ।ଯାଇଁ ଗୋପନଗରେଣ ମିଳଇ ।ପାଶେ ବସାଇଣ ଗୋପୀ ଗୋପାଳ।ତାଙ୍କୁ ବାରତା ପୁଚ୍ଛନ୍ତି ସକଳ ।କୃଷ୍ଣ କହିବା କଥାମାନ କହି ।ବେଗେ ଉଦ୍ଧବ ବାହୁଡ଼ି ଆସଇ ।ଗୋପୀ ବିରହ ବୋଲି ସୁଧାରିସ ।ଶୁଣି ସୁଜନେ କଳୁଷ ବିନାଶ ।କୃଷ୍ଣ ପଦ୍ମପାଦରେ ଦେଇ ଚିତ୍ତ ।ଦାସ ଦନାଇ ସେବେ ଗୋପୀନାଥ ।