ଖଦ୍ୟୋତର ଖେଦ

ଗଙ୍ଗାଧର ମେହେର (1862–1924)

ଅର୍ଘ୍ୟଥାଳୀ

ଖେଦେ କହେ ଖଦ୍ୟୋତ ମୁଁ ଅତି କ୍ଷୁଦ୍ର ଜୀବକି ବିଚାରି ପକ୍ଷ ମୋତେ ଦେଇଛି ଦଇବ,

ରଜନୀରେ ଉଡ଼େ ଲୁଚି ଉପବାସ ଡରେଅବା ଦୂରେ ବସିଥାଏଁ ପାଦପ ପତରେ ।

ଅଙ୍ଗେ ମୋର ଜ୍ୟୋତି ଥିବା ନାହିଁ ମୋତେ ଜଣା,ନ ଚାହେଁ ମୁଁ ଜ୍ୟୋତିଷ୍କରେ ହେବା ପାଇଁ ଗଣା ।

ତଥାପି ମାନବେ ମୋତେ ଉପହାସ କରିବୋଲନ୍ତି ଖଦ୍ୟୋତ କାହିଁ ହେବ ଚନ୍ଦ୍ରସରି ?

କାହିଁ ଚନ୍ଦ୍ର, ମିଳେ ତାଙ୍କୁ ପ୍ରଭାକର କର,ମୋ’ ଜ୍ୟୋତିକଣିକା ନିଜ କ୍ଷୁଦ୍ର ଜୀବନର,

କରି ନ ଜାଣଇ ପରଧନେ ଅଭିମାନ,କେମନ୍ତେ ପାରିବି ହୋଇ ଚନ୍ଦ୍ରମା ସମାନ ?

ନ କର ମାନବେ କ୍ଷୁଦ୍ର ଜୀବେ ଉପହାସ,ନିଜର ଜୀବନ-ଜ୍ୟୋତି କର ପରକାଶ ।

•••